-ଶ୍ରୀନିବାସ ନାୟକ
ନିଶିଥ ଆସଇ ଯେବେ
ମୁଁ ଦେଖେ ସ୍ୱପ୍ନ
ଦେଖ ତୁମେ ବି...
କିନ୍ତୁ, ସେ କ’ଣ ନିଜେ ସ୍ୱପ୍ନ ଦେଖେ
ଯିଏ ଦେଖାଏ ସବୁକୁ ସ୍ୱପ୍ନ
ସେଇ ଯେ ନିଶିଥ...
କିଏ ହେବ ତା’ର ସାଥୀ ?
କିଏ ହେବ ତା’ ପୀରତି ?
ତା’ ବୋଲି କ’ଣ
ସେ କେବେ ବି ଦେଖିବନି ସ୍ୱପ୍ନ ?
କେବେ ଲାଗେ ନିଦ ତା’କୁ ?
କେବେ ତା’ ସକାଳ ?
କିଏ କେବେ ଦେଖିଚ କି ?
ଶୀତଳ ବାଆ ତା’ର ସାଥୀ
ନିସ୍ତବ୍ଧତା, ସଖା
ଝିଙ୍କାରିର ସ୍ୱର ତା’ର ବନ୍ଧୁ
ଆଉ, ଚନ୍ଦ୍ରମା ପୀରତି
କାହାକୁ ସେ ଦେଖିବ ସ୍ୱପ୍ନରେ
କାହା ପାଇଁ ବଂଚିବ ସେ
ନୀରବ ନିଶିଥ ?
ରାତିର ଶୂନ୍ୟତା ଯେବେ
ବହଳିଆ ହୋଇଆସେ
ଜହ୍ନ ଯେବେ ଯାଏ ଥକି
ମସିଆ ତାରା ଗହଣେ
ନିଶିଥର ସଂଯ ଆସେ ନଇଁ
ରାତି କ’ଣ ତା’ ପାଇଁ
ସ୍ୱପ୍ନ ନେଇ ଆସେ ?
ବୋଧେ...
ଅନ୍ଧାରର ଛାଇ ଆଉ
ନଈକୂଳ ନୀରବତା
ଗଙ୍ଗଶିଉଳିର ବାସ୍ନା ଆଉ
ଝାଉଁବଣର ଗୁଂଜନ
ଏଇ ସବୁ ତା’ର ସ୍ୱପ୍ନ...
ନାୟକ ନୟିକା
ନିଶିଥ ସ୍ୱପ୍ନର...
------
No comments:
Post a Comment