ବସନ୍ତ
-ଶ୍ରୀନିବାସ ନାୟକ
ନାଲି ସୁରୁଜ,
ଯେବେ ବୁଣେ ତାର ରଙ୍ଗ
ନୀଳ ଆକାଶ,
ଯେବେ ମାଖିହୁଏ ହଳଦି
କାଚ ତିଆରି ଜହ୍ନ,
ଯେବେ ମିଶିଯାଏ ଆକାଶ ଛାତିରେ...
ତା’ରି ନାଁ ମୁଁ ଦେବି ବସନ୍ତ |
ମୋ ବଗିଚାର କଁଅଳ କୁସୁମ,
ଯେବେ ଖୋଲେ ତା ପାଖୁଡା
ନରମ ଦେହରୁ ତା’ର,
ଯେବେ ଝାଡି ଦିଏ ଟିକି ଟିକି କାକରର ବିନ୍ଦୁ
ସବୁଜ ଚାଦର ପରେ,
ଯେବେ ନାଚେ ସିଏ ଥିରି ଥିରି...
ତା’ରି ନାଁ ମୁଁ ଦେବି ବସନ୍ତ |
ସବୁଜ ପଣତ,
ଯେବେ ପାରିଦିଏ ମୋ ମା’ ମାଟି
ଶୀତଳ ସମୀର,
ଯେବେ ଆଉଁସି ଦିଏ ମୋ ତନୁ ମନ
ଖୁସିରେ ଏ ନଦିପଠା,
ଯେବେ ଗାଇ ଉଠେ କୁଳୁ କୁଳୁ ନାଦେ...
ତା’ରି ନାଁ ମୁଁ ଦେବି ବସନ୍ତ |
କୋଇଲି ତା ମନେ ମନେ,
ଯେବେ ଗାଇ ଯାଏ ଖୁସିର କାକଳି
ଆମ୍ର ବନ ପୂରିଉଠେ,
ଯେବେ ବଉଳ ବାସ୍ନାରେ
କଁଅଳ ପତର ତା’ର,
ଯେବେ କୃଷ୍ଣ ରଙ୍ଗ ପିନ୍ଧେ...
ତା’ରି ନାଁ ମୁଁ ଦେବି ବସନ୍ତ |
ଟିକି ଆମ ଜହ୍ନ ମାମୁଁ,
ଯେବେ ମୁଁହ ଖୋଲି ହସେ
ଧୁଆଁଳିଆ ବାଦଲ,
ଯେବେ ଉଡିଯାଏ ଶୀତଳ ବାଆରେ
ସୁବାସିତ ନୀରବ ରଜନୀ,
ଯେବେ ଝାଡି ଦିଏ ତାରାର ଚୁମୁକି...
ତା’ରି ନାଁ ମୁଁ ଦେବି ବସନ୍ତ |
--------
1 comment:
A beautiful thought.
Post a Comment